ହାଇକୁ କବୟିତ୍ରୀ
ସମିତା ସ୍ୱାଇଁ
ହାଇକୁ
"ଲୁହ"
~ • ~
ଆଖିର ଲୁହ
ଛାତି ର କୋହ ମିଶି
ଚିତ୍କାର କରେ ।
ଗା'ରେ କଜ୍ଜଳ
ଦୁଇ ଧାର ଲୁହରେ
ଚିବୁକ ଛୁଏଁ ।
ଲୁହର ନଈ
ପହଁରି ବାକୁ ହୁଏ
ଦୁଃଖ ସାଗରେ ।
ଲୁହ ଟୋପାଏ
ଝରି ଯାଏ ଖୁସିରେ
ଦୁଇ ଆଖିରୁ ।
ଲୁହ ପଖଳା
ଭିଜା ଭିଜା ଅନ୍ତର
ଭାରୀ ଗଭୀର ।
ନୟନେ ଲୁହ
ସ୍ବପ୍ନମୟ ଭାବନା
ଉଜ୍ବଳ ଚିତ୍ର ।
ନୀରବ ଲୁହ
ହୃଦୟ ସ୍ପନ୍ଦନରେ
ନିଥର ଆଜି ।
ଲୁହ ଲହୁରେ
ଅନୁରାଗରେ ଲେଖା
ପ୍ରେମ କବିତା ।
ଅଭିମାନିନୀ
ଅମାନିଆ ଲୁହରେ
ସିକ୍ତ ହୃଦୟ ।
ଦୁଃଖ ସୁଖର
ସାକ୍ଷୀ ଲୁହର ଧାର
ଅତି ନିଜର ।
ଲୁହ ସହିତ
ସଂପର୍କ ନିବିଡତା
ଭାବ ଗମ୍ଭୀର ।
ଲୁହକୁ ଢାଳି
ପ୍ରାର୍ଥନା କର ନିତି
ପ୍ରଭୁ ପୟରେ ।
କୁଆଁରୀ ଲୁହ
ଭିଜା ଭିଜା ସପନ
ନୟନ କୋଣେ ।
ଲୁହ ଓଜନ
ଲୁହା ଠାରୁ ବି ବେଶୀ
ସାରା ଜୀବନ ।
ଲୁହ ନିଆଁ ରେ
ପାଷାଣ ହୃଦୟଟା
ତରଳି ଯାଏ ।
ଦିଟୋପା ଲୁହ
ଦୁଃଖ କୁ ଧୋଇନିଏ
ଅନୁରାଗରେ ।
ଲୁହର ଧାର
ଲାଗେ ଭାରି ଉଷୁମ
ମୁକୁତା ସମ ।
ଆଖି ଲୁହରେ
ଭିଜେ ପଣତ ନିତି
ସମୟ ସ୍ରୋତେ ।
ଲୁହ ଝରିଲେ
ଓଠବି ହସୁଥାଏ
ତ୍ଯାଗ ପ୍ରେମରେ ।
ଲେଖୁଛି ଆଜି
ଲୁହର ଇସ୍ତାହାର
ହୃଦୟେ ମୋର ।
ଲୁହ ବରଫ
ଜମାଟ ବନ୍ଧା କୋହ
ନିଭୃତ କୋଣେ ।
ଲୁହର ଝଡ
ମାନେନି ବନ୍ଧବାଡ
ନଥାଏ ସୀମା ।
ଲୁହରେ ଲେଖା
ଶେଷ କାହାଣୀ ଏକ
ଦେଶ ପ୍ରେମର ।
ଆଖି କୋଣରୁ
ଲୁହ ଝରଣା ହୋଇ
ଯାଏ ସେ ବୋହି ।
ଲୁହଟା ଯେବେ
ଦୁଃଖ ସାଗର ହୁଏ
ଜୀବନ ଭାସେ ।
ବିଦାୟୀ ବେଳେ
କନ୍ଯା ଆଖିର ଲୁହ
ହୃଦୟ ଦହେ ।
ଲୁହର ବନ୍ଯା
ଭୁଲ୍,ଠିକ୍ ହିସାବ
ଚକ୍ରବ୍ଯୁହରେ ।
ଜୀବନ ବିତେ
ବୁଢୀଆଣି ଜାଲରେ
ଲୁହରେ ଛନ୍ଦା ।
ଅବ୍ଯକ୍ତ କୋହ
ବିଳାପ କରେ ଦୁଃଖ
ଅସରା ଲୁହ ।
ଲୁହ ବଦଳେ
ଯେବେ ଝରଇ ଲହୁ
ଅନେକ ବ୍ଯଥା ।
ଅଶ୍ରୁ ଜଳରେ
କରୁଛି ନିରାଜନା
ଦୁଃଖ ସଂସାରେ ।
ଲୁହ ବତୁରା
ବାତ୍ସଲ୍ୟ ଭାବଭରା
ପ୍ରେମ ପସରା ।
ଲୁହ ଝରାଏ
କୁମୁଦିନୀ ଦୁଃଖରେ
ସରସୀ ନୀରେ ।
---00---
~ ସମିତା ସ୍ୱାଇଁ
कोई टिप्पणी नहीं:
एक टिप्पणी भेजें