ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ୱତ ତାଙ୍କା କାବ୍ୟ ଯାତ୍ରା ~ ୧
ତାଙ୍କା
୧)
ମନ ଗ୍ୟାଲେରୀ
ଅଛ ହୃଦ ଭିତରେ
ତୁମେ ରୂପସୀ
କିପରି ଭୁଳିବି ମୁଁ
ତୁମ ଅଭୂଳା ସ୍ମୃତି ।
~ ପ୍ରଦୀପ କୁମାର ଦାଶ
୨)
ଶୂନ୍ୟ ପୁରୁଷ
ନିର୍ଗୁଣ ନିରାକାର
ରୂପ କଳ୍ପନା
ହୃଦୟେ ସମର୍ପଣ
ଦିଏ ଭକ୍ତି କୁସୁମ ।
୩)
ବରଷା କାଳ
ବିରହ ବେଦନା ରେ
ଅସ୍ଥିର ମନ
ପାଶେ ନାହିଁ ମୋ ପ୍ରିୟା
ଝରେ ପ୍ରେମ ର ଫଲ୍ଗୁ ।
୪)
ହେ ବିଘ୍ନରାଜ
ସୁଖ ଶାନ୍ତି ଦାୟକ
ମୂଷିକ ବାହନ
ଶୈଳସୁତା ନନ୍ଦନ
କରେ ତବ ବନ୍ଦନ ।
୫)
ନବାନ୍ନ ପର୍ବ
ଆସିଛି ନୂଆଖାଇ
ଭାଇଚାରାର
ବାଣ୍ଟିବା ସ୍ନେହ ପ୍ରୀତି
ଏ ତ ଅଭୁଲା ସ୍ମୃତି ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୬)
ବରଷା କାଳ
ମୟୁର ନୃତ୍ୟ କରେ
ଗିରି ବନରେ
ଆହାଃ କି ଶୋଭା ତାର
ମନ ହୃଦୟ ହରେ ।
୭)
ଗଙ୍ଗଶିଉଳି
କ୍ଷୁଦ୍ର ତା ଜୀବନରେ
ଆଶା ସଞ୍ଚାରି
ରାତିରେ ଫୁଟି ବାସେ
ପ୍ରାତଃ ପଡଇ ଝରି ।
୮)
ମମତା ମୟୀ
ଲୁହ ଲହୁ କୁ ପିଇ
ବିନ୍ଧାଣି ସିଏ
ସନ୍ତାନେ ଢାଳେ ସଦା
ସ୍ନେହ, ଅମୃତ ବାରି ।
୯)
ନୀଳ ଅମ୍ବର
କଳା ଧଳା ମେଘର
ଦୃଶ୍ୟ ସମ୍ଭାର
ସାଗରେ ଲଘୁଚାପ
ବର୍ଷା ବିଜୁଳି ଘୋର ।
୧୦)
ପାର୍ବଣ ମାସ
କରୋନା ସଂକ୍ରମଣ
ମନ ବିରସ
କାରିଗର ଭକତ
ସର୍ବେ ଯୋଡନ୍ତି ହସ୍ତ ।
~ ସୂର୍ଯ୍ୟକାନ୍ତି ଦାଶ
୧୧)
ନବାନ୍ନ ପର୍ବ
ନୂଆଖାଇ ଜୁହାର
ଭାଇଚାରା ର
ସଂସ୍କୃତି ପରମ୍ପରା
ପଶ୍ଚିମ ଓଡ଼ିଶାର ।
୧୨)
ଭୋଦୁଅ ମାସ
ପର୍ବର ଗନ୍ତାଘର
ଶରତ ଋତୁ
ପର୍ବପର୍ବାଣି ପାଇଁ
ଆମ ଉତ୍କଳ ଭୂଇଁ ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୧୩)
କରୋନା ଆସି
ଜୀବନ ଜୀବିକାକୁ
ଦେଲାଣି ନାଶି
ସର୍ବେ ସତର୍କ ହୁଅ
ରୋଗ ନେବ ବିଦାୟ ।
୧୪)
ଫୋନ ରେ ପାଠ
ପିଲାଙ୍କ ଶିକ୍ଷାଦାନ
ଲାଗେ ଅଝଟ
ସମୟ ଗଡି ଯାଏ
ନୈରାଶ୍ୟ ଭବିଷ୍ୟତ ।
୧୫)
ବସନ୍ତ ଆସେ
କୋଇଲି କୁହୁତାନେ
ଆମ୍ର କାନନେ
ଫଗୁଣ ରଙ୍ଗୋଲିରେ
ପ୍ରେମର ରଙ୍ଗ ଦିଶେ ।
୧୬)
ମୌସୁମୀ ଅଧା
ଚାଷକାମ ରେ ବାଧା
କୃଷକ ଦୁଖୀ
ସରକାର ଆମର
କରିବେ ପ୍ରତିକାର ।
୧୭)
ସମାଜ ସେବା
ଆସ ଭାଇ ଭଉଣୀ
ଗଛ ଲଗାଅ
ସ୍ଵଛ ଭାରତ ଗଢ
କର ସ୍ବପ୍ନ ସାକାର ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୮)
ଶିଶୁ ଆମର
ଭବିଷ୍ୟତ କାଲିର
ଗଢ ଯତନେ
ତାର ସୁନେଲି ସ୍ବପ୍ନ
ଯତ୍ନେ କର ସାକାର ।
୧୯)
ବିବାହ ବେଦୀ
ଅଜଣା ବର ହସ୍ତେ
କନ୍ୟାକୁ ଛନ୍ଦି
ଦାମ୍ପତ୍ୟ ଜୀବନର
ଶୁଭ କାମନା କରେ ।
୨୦)
ଅଙ୍ଗନ ୱାଡି
ଶିଶୁ ର ଶିକ୍ଷାଦାନ
ହୋଇଛି ଯୋଡି
ପୁଷ୍ଟିକର ଆହାର
ରୋଗର ପ୍ରତିକାର ।
୨୧)
ସ୍ୱାସ୍ଥ୍ୟ ବିଭାଗ
ପ୍ରତିଷେଧକ ଦିଏ
ରୋଗ ଦୁରେଇ
ରୋଗକୁ ଘୃଣା କର
ରୋଗୀକୁ ଭଲ ପାଅ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୨୨)
ପୂଜା ପାର୍ବଣ
ବନ୍ଧୁ ବାନ୍ଧବ ମେଳେ
ବର୍ଷକେ ଥରେ
ଲାଗଇ କେଡେ ମଜ୍ଜା
ଦେବୀ ଙ୍କ ସାଜସଜ୍ଜା !
୨୩)
ମଙ୍ଗଳ ମୟୀ
ସେ ମାଆ ଠାକୁରାଣୀ
କରୁଣା ବାରି
ଦେ ତୁ ଢ଼ାଳି ସରବେ
ଯାଉ କରୋନା ବ୍ୟାଧି ।
୨୪)
ପୂଜା ପାର୍ବଣ
ନୂଆ ଖାଇ ଜୁହାର
ଭାଦ୍ରବ ମାସେ
ପଶ୍ଚିମେ ଗଣ ପର୍ବ
ଓଡ଼ିଶା ବାସୀ ଖୁସି ।
୨୫)
କରୋନା କାଳ
କଟକଣା ପ୍ରବଳ
ମାଆଙ୍କ ମୂର୍ତ୍ତି
ଚାରି ଫୁଟ ଉଚ୍ଚତା
ପୂଜା ପାଇବେ ସ୍ଥିର ।
୨୬)
ବଣ ଜଙ୍ଗଲ
ଆମରି ପରିବେଶ
ଲାଗଇ ଭଲ
ଜାତି ଜାତି ଔଷଧ
ମିଳେ ତ ଫଳ ଫୁଲ ।
~ଝୁମୁରୀ ସାହୁ
୨୭)
ଅମୃତମୟ
ମାନବର ଜୀବନ
ଇଶ୍ଵର ଦୂତ
ସେବା ଅଟଇ ଧର୍ମ
ବିଶ୍ଵପ୍ରୀତି ତା କର୍ମ ।
୨୮)
ସମୟ ଚକ
ଘୁରି ଘୁରି ଚାଲିଛି
ଅତୀତ କଥା
କାଳ ଗର୍ଭରେ ହଜେ
ସ୍କୃତିରେ ସାଇତିଛି ।
୨୯)
ଅଟେ ମୁଁ ନାରୀ
ଜନନୀ , ଜାୟା, ଭଗ୍ନୀ
ମୋ ପରିଚୟ
ହୃଦେ ମମତା ଭରା
ହେଲେ ମୁଁ ସ୍ଵୟଂସିଦ୍ଧା ।
~ମଧୁଛନ୍ଦା ଦାଶ
୩୦)
ମାନବ ଜନ୍ମ
ପାଣିଫୋଟକା ସମ
କାଲି ନଥିବ
କରିବା ଭଲ କାମ
ସେବା ପରମ ଧର୍ମ ।
୩୧)
ଶିଶୁ ଲେଖା ଟି
ପଢିବା ଉପଯୋଗୀ
ପିଲାଙ୍କ ପାଇଁ
ପଢିଲେ ପିଲାମାନେ
ହେବେ ଭଲ ମଣିଷ ।
୩୨)
ଶିକ୍ଷା ଶିକ୍ଷକ
ନିବିଡ ତା ସମ୍ପର୍କ
ଆମ ସମାଜେ
ଶିକ୍ଷା ର ଉନ୍ନତିରେ
ଆମ ଦେଶ ପ୍ରଗତି ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
☆☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें