ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ଚୋକା କାବ୍ୟ ଯାତ୍ରା
ଜାନୁଆରୀ-୨୦୨୨
ଚୋକା
୧)
ନଵ ବରଷ
ମନେ ଆଣେ ହରଷ
ଶୁଭେଚ୍ଛା ବାର୍ତ୍ତା
ପ୍ରିୟ ଜନେ ବିତର
ଶାନ୍ତି ଓ ମୈତ୍ରୀ
ବଢଇ ସଦ୍ଭାବନା
ବଣଭୋଜି ରେ
ମନଟି ଆନମନା
ସାଙ୍ଗସାଥୀ ରେ
ପରିବାର ମେଳରେ
ଖୁସି ବଣ୍ଟନ
ଭୁଲି ଯାଉଛେ ଆମେ
ପଣା ସଂକ୍ରାନ୍ତି
ରାଷ୍ଟ୍ରୀୟ ନବ ବର୍ଷ
ସୃଷ୍ଟି ପ୍ରାରମ୍ଭ
ହନୁମାନ ଜୟନ୍ତୀ
ପବିତ୍ର ତିଥି
ଉତ୍କଳୀୟ ସଂସ୍କୃତି
ନୂତନ ପାଞ୍ଜି
ଶୁଭ ବିବାହ ବ୍ରତ
ଲଗନ ସ୍ଥିର
ହୁଅଇ ଅନୁକୂଳ
ପୂଜାର୍ଚ୍ଚନା ରେ
ମନ୍ଦିର ପ୍ରାଙ୍ଗଣରେ
ନାମ କୀର୍ତ୍ତନ
ଆଧ୍ୟାତ୍ମିକ ଚେତନା
ଦିବ୍ୟ ଭାବନା
ବିଶ୍ଵଶାନ୍ତି ସ୍ଥାପନ
ଜଗତର କଲ୍ୟାଣ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ଧର୍ମ ଟି ଏକା
କର୍ମେ ଜୀବନ ବିକା
କିଏ କାହାର
ମିଥ୍ୟା ମାୟା ସଂସାର
ସମୟ ସ୍ରୋତେ
ଭାସମାନ ସମସ୍ତେ
ଜନ୍ମ ମରଣ
ଏହା ଵିଧି ବିଧାନ
ମାୟା ପ୍ରଭାବ
ବିସ୍ତାର ଏହି ଭଵ
ପୂର୍ବରୁ ସ୍ଥିର
କର୍ମ ଫଳ ବିଚାର
ନାହିଁ ନିସ୍ତାର
ଘଟୁଛି ନିରନ୍ତର
ପ୍ରଭୁ ନାମ ଟି ସାର ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୩)
ନୂତନ ବର୍ଷ
ମନେ ଆଣୁ ହରଷ
ସୁସ୍ଥ ରହିବା
ସଚେତନ କରିବା
ଈଶ୍ୱର ଭକ୍ତି
ମନରେ ଆଣେ ଶକ୍ତି
ଶୀତ ଋତୁରେ
ପିଠା ପଣା ଯେ କେତେ
ଶୀତ ପୋଷାକ
ଦାଣ୍ଡରେ ନିଆଁ ପୁଆଁ
ଲାଗେ ଭାରି ବଢିଆ ।
~ ଜ୍ୟୋତିପ୍ରଭା ପଟ୍ଟନାୟକ ଖୋର୍ଦ୍ଧା
୪)
ତିମିର ତଳ୍ପେ
ଉଦଧି ଵକ୍ଷ ଭେଦି
ଯେତେ ଯନ୍ତ୍ରଣା
ଉଠିଲା ସାରା ନିଶି
ବିକ୍ଷୁଭ୍ଧ ଢେଉ
ଘୋର ଉଦ୍ଵେଳନେ
ସହି ଗଲା ସେ
ଦାଉ ଆକୁଳ ପ୍ରାଣେ
ନିସର୍ଗ ରାଣୀ
ଜଗତ ହିତ ହେଜି
ନବାର୍କ ଜନ୍ମ
ସୁଖେ ଵିଭୋର ମତି
ଭୁଲେ ପ୍ରସଵ ଭୀତି ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ ଖୋରଧା
୫)
ସ୍ନେହ ପ୍ରତୀକ
ସଂଜ୍ଞା ତାର ବ୍ୟାପକ
ସେଇତ ମାଆ
ପ୍ରତି ସମୟେ ଠିଆ
ଭୁଲି ହୁଏନା
ପରିବାର ତା ବିନା
କୋଟି ପ୍ରଣାମ
ତାର ପୂଣ୍ୟ ଚରଣ
ମମତା ଡୋରି
କେବା ଦେବ ପାସୋରି
ସନ୍ତାନ ମେଳେ
ଛୋଟ ସଂସାର ଚଳେ
ସକଳ କାମ
ନାହିଁ ତାର ବିରାମ
ଶୁଭ ମନାସୀ
ଠାକୁର ପାଶେ ବସି
ମାଗେ ଆଶିଷ
ଦିନ ମାସ ବରଷ
ଚଉରା ମୂଳେ
ସଦା ପ୍ରଣତି ଢାଳେ
ନପାଏ ମୂଲ
କିଏ ହେବ ତା ତୁଲ
ସେତ ସଂସାରେ ଭଲ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୬)
ସୂର୍ଯ୍ୟ ଦେବତା
ପ୍ରଭୁ ଆଲୋକ ଦାତା
ଘେନ ଜୁହାର
ସର୍ବ ଶକ୍ତି ଆଧାର
ଜୀବ ଜଗତ
ଅନୁଗତ ସମସ୍ତ
ଅନ୍ଧାର ଦୂର
ରୋଗ ବ୍ୟାଧି ସଂହାର
ଲାଗି ତୋ କର
କରୋନା ହେଉ ଦୂର
ଶାମ୍ବ ଦଶମୀ
ଘରେ ପାଳେ ଗୃହିଣୀ
ମାଗେ ଆଶିଷ
ନିରୋଗ ହେଉ ବିଶ୍ୱ
ନିର୍ମଳ ପରିବେଶ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୭)
ନମସ୍ତେ ଭାନୋ
ଜଗଦେକଚକ୍ଷୁଷେ
ସୃଷ୍ଟି କାରଣଂ
ସ୍ଥିତି ନାଶ ହେତଵେ।
ସକଳ ବ୍ୟାଧି
ଵିନାଶନ ତ୍ରିଗୁଣା
ତ୍ମଧାରୀ ପ୍ରଭୋ
ତ୍ରୟିମୟାୟ ହର
ହରି ଵିରଞ୍ଚ୍ୟା
ତ୍ମନେ ନମୋ ସୂର୍ଯ୍ୟାୟ
ଛାୟାପତୟେ ନମଃ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
୮)
ସମୟ ସାଥେ
ପାଦ ମିଳାଇ ଚାଲ
ସତ୍ୟର ପଥେ
ଜୀବନ ନୁହଁଇ ଯେ
ଗୋଲାପ ଶେଜ
ପଥ ଯେ କଣ୍ଟକିତ
ମନରେ ହେଜ
ଦୁଃଖ କୁ ସୁଖ ମଣି
ବଢାଅ ପାଦ
ଈର୍ଷା, ଦ୍ୱେଷ କପଟ
ମନରୁ ତେଜ
ଲକ୍ଷ ସାଧି ଜୀବନେ
ହୁଅ ନିର୍ଭୀକ
ଶାନ୍ତି, ପ୍ରେମ, ମୈତ୍ରୀର
ସାଜି ବାହକ
ନିଷ୍କାମ କର୍ମବଳେ
ଜିଣିବ ମହୀ ହେଳେ ।
~ ମଧୁଛନ୍ଦା ଦାଶ, ଭୁବନେଶ୍ୱର
୯)
ମିଠା ସପନ
କରେ ପୁଲକ ମନ
ସପନ ସତ
ଖୁସି ମିଳେ ବହୁତ
ସପନ ଦେଖି
ଇନ୍ଦ୍ରିୟ ଉଠେ ଜାଗି
ମିଳେ ସୁଫଳ
ସବୁ ଭାଗ୍ୟର ଖେଳ
କର୍ମଟି ମୂଳ
ମିଳେ ତାହାରି ଫଳ
ଆଜି ମକର
ସୂର୍ଯ୍ୟ ଯିବେ ଉତ୍ତର
ଘର ବାହାର
ରୌଦ୍ର ହେବ ପ୍ରଖର
କରୋନା ଡର
ପୂଜ ନିଜର ଘର
ସାହା ଠାକୁର
ରୋଗ ହୋଇବ ଦୂର
ଏହା ବିନତୀ ମୋର ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୧୦)
ଲେଖା ମୁଁ ଲେଖେ
କାହାକୁ ଲାଗେ ଭଲ
ମୁଁ ଜାଣେନା
ମୁଁ ତ କହେ ମୋକଥା
କାହା ମନକୁ
ପାରେ କି ଛୁଇଁ କେଵେ
ହେଲେ ମୁଁ ଛନ୍ଦେ
ମୋ ଛନ୍ଦଣି କାହାକୁ
ଵାନ୍ଧେ ଜାଣେନି
ବାଧେ ନୀରବି ଗଲେ
କାହାକୁ ଜାଣି
ତା'ଵି ପାରେନି ଜମା
କେହି ଦୁଃଖ ରେ
କେହି ଵି ଅନୁରାଗେ
ଆବୋରି ମୋତେ
କରେ ଚେଷ୍ଟା ମୁଁ
ବୁଝିବା ପାଇଁ
ମୋ ନିଜ ଵ୍ୟର୍ଥତାକୁ
ସାଉଁଟି ବସେ,
ପାଖୁଡା ଭଳି ଝରି
ଯାଇଥିବା ମୋ
ଆଵେଗ ସାଇତା ସେ
କଳ୍ପନା ସ୍ତଵକକୁ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
୧୧)
ଆରମ୍ଭ ଅନ୍ତ
ପ୍ରଭୁ ଶ୍ରୀଜଗନ୍ନାଥ
ଦିବସ ରାତ୍ର
ସ୍ମରଇ ନାମ ମାତ୍ର
ବଡ଼ ପବିତ୍ର
ଧାମ ନାମ ଶ୍ରୀକ୍ଷେତ୍ର,
ଭଗିନୀ ଭ୍ରାତା
ବିମଳା ଲକ୍ଷ୍ମୀ ମାତା
ଭକତ ଭାବ
ସାଗର ଲଙ୍ଘି ଯିବ
ତରିବ ଭଵ
ଯେବେ ଜୀବନ ଯିବ
କାମନା ମୋର
ସକଳ ଦୁଃଖ ହର
ନୀଳ ଚକର
ଦିଶୁଛି ବହୁଦୂର
ଭାବୁକ ମନ
ତା ପତିତପାବନ
ଦେଖି ପ୍ରସନ୍ନ
ଶରଣ ମାଗେ ଦୀନ
ହେବ ତା ପଦେ ଲୀନ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୧୨)
ଜଗନ୍ନାଥ ହେ
କରୁଣା ର ସାଗର
ମୋ ଅପରାଧ
ହୋଇଲାକି ଅଧିକ
ବଂଚିତ ହେଲି
ଦର୍ଶନରୁ ତୁମର
କ୍ଷମା କରିବ
ଆହେ କ୍ଷମା ସାଗର
ବାରେ ସୁଦୟା କର ।
୧୩)
ଭଲ ମଣିଷ
ହୋଇବି ଜୀବନରେ
ଏତିକି ଅଳି
ଦିଅନ୍ତୁ ଶୁଭାଶିଷ
ମନରେ ମୋର
ନ ଦିଅ ଲୋଭ ଗର୍ବ
ଧର୍ମ ମାର୍ଗରେ
ନିଅନ୍ତୁ ପ୍ରଭୁ ବାରେ
ଶରଣ ଶ୍ରୀପୟରେ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୪)
ମକର ପର୍ବ
ଆନନ୍ଦ ଉଲ୍ଲାସରେ
ଗୁଡ଼ି ଉଡାରେ
ମେଳା ଓ ଯାନିଯାତ୍ରା
ଦେବ ଦର୍ଶନ
ଅରୁଆ ଚାଉଳରେ
କ୍ଷୀର କଦଳୀ
ଛେନା ଗୁଡ ନଡ଼ିଆ
ଭୋଗ ଅର୍ପଣ
ମକର ଚାଉଳ ରେ
ସ୍ନେହ ବନ୍ଧୁତା
ଅଦ୍ଭୁତ ଭାଇଚାରା
ଭାବ ଓ ପ୍ରୀତି
ଓଡ଼ିଶାର ସଂସ୍କୃତି
ଦିବ୍ୟ ଭାବନା
ମକର ସଂକ୍ରାନ୍ତି ରେ
ଅକ୍ଷୟ ପୂଣ୍ୟ
ସାଧୁସନ୍ଥ ମହାତ୍ମା
କୁମ୍ଭମେଳାରେ
ପ୍ରୟାଗେ ସ୍ନାନ ଯାତ୍ରା
ପୂଣ୍ୟ ଅର୍ଜ୍ଜନ
ମନେ ବିଶ୍ଵାସ ଅଛି
ମୃତ୍ୟୁର ପରେ
ନ ହୁଏ ପରଜନ୍ମ
ମିଳେ ସଦ୍ଗତି
ପ୍ରଭୁ ବୈକୁଣ୍ଠ ପତି
ଅନ୍ତିମେ ଦେବେ ମୁକ୍ତି।
~ ବାସନ୍ତୀ ଦେଇ ଖୋର୍ଦ୍ଧା
୧୫)
ମାଆ ଟି ମୋର
ଅଟେ କେଡେ ନିଜର
ତାଆରି କୋଳ
ମୋ ପାଇଁ ତ ସରଗ
ପଣତ ତଳେ
ଦୁଃଖ ଶୋକ ମୁଁ ଭୁଲେ
ଆସିଲେ ଝଡ଼
ଲୁଚି ଯାଏ ମୁଁ କୋଳ
ମାଆ ର ସ୍ନେହ
ବାନ୍ଧେ ମମତା ମୋହ
ମାଆ ନ ଥିଲେ
ଦୁନିଆଁ ଅନ୍ଧକାର
ମା ମୋ ସୁଖ ସଂସାର ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୬)
ଧରା ପୃଷ୍ଠରେ
ଋତୁ ଚକ୍ର ବଦଳେ
ପର୍ଯ୍ୟାୟ କ୍ରମେ
ଗ୍ରୀଷ୍ମ ପରେ ବରଷା
ରଚଇ ଲୀଳା
ଦିଏ ଜୀବନାମୃତ
ଭୀମ ରୂପରେ
କରଇ ସର୍ବନାଶ
ଜଳ ବିହୁନେ
ଅବା ଜଳ ବହୁଳେ
ସେ ବି ତ ସୃଷ୍ଟି
ସ୍ରଷ୍ଟାର ଇଙ୍ଗିତରେ
ଭିନ୍ନ ରୂପରେ
କେବେ ସେ ଲାସ୍ୟମୟୀ
ମୃଦୁ ମୂର୍ଚ୍ଛନା
କବି ତ ଆନମନା
ରାଗ ରାଗିଣୀ
ସଜ୍ଜିତ ବର୍ଣ୍ଣ ବିଭା
ଧରଣୀ ରାଣୀ
ଶ୍ୟାମଳ ଦୁର୍ବାଦଳ
କୂପ ତଡାଗ
ତଟିନୀ ପୂର୍ଣ୍ଣ ଗର୍ଭା
କୃଷକ ହସେ
ଶସ୍ୟଶ୍ୟାମଳାପୂର୍ଣ୍ଣ
କରଇ ଶ୍ରମ
ଯୋଗାଏ ସେ ଆହାର
ବରଷା କାଳ
ଅଟେ ଜଗତ ମିତ
ବରଷେ ବାରି
ପରଜାଙ୍କୁ ପାଳନ
କରେ ଅମୃତ ଦାନ ।
~ ବାସନ୍ତୀ ଦେଈ ଖୋର୍ଦ୍ଧା
୧୭)
ସୁଭାଷ ବୋଷ
ଅଦମ୍ୟ ସାହସୀ ସେ
ବୀର ସଂଗ୍ରାମୀ
ମାତୃଭୂମି ସେବାରେ
ପ୍ରାଣ ଉତ୍ସର୍ଗ
ଗାନ୍ଧୀ ଅହିଂସା ନୀତି
କଲେ ଅମାନ୍ୟ
ଆଜାଦ୍ ହିନ୍ଦ ଫୌଜ
କଲେ ଗଠନ
ମାଆ ମାଟି ଶୃଙ୍ଖଳ
କରିବେ ଛିନ୍ନ
ବିଦେଶେ ସୈନ୍ୟ ଠୁଳ
କଲେ ନେତାଜୀ
ବିଶ୍ଵ ହେଲା ଚକିତ
ବିପ୍ଲବୀ ନେତା
ମାତୃଭୂମି ମମତା
ଦେଲେ ସ୍ଲୋଗାନ
ମୋତେ ରକତ ଦିଅ
ଦେବି ତୁମକୁ
ସମ୍ପୂର୍ଣ୍ଣ ସ୍ଵାଧୀନତା
ବୀର ପୁତ୍ର ସେ
ବିମାନ ଦୁର୍ଘଟଣା
ଜୀବନ ଗଲା
ଏବେ ବି ତ ରହସ୍ୟ
ନେତାଜୀ ମୃତ୍ୟୁ
ଆହେ ମହାନ ବୀର
ମାଆ କୋଳରେ
ଜନମ ବାରଂବାର
ଯୁଗ ଯୁଗକୁ
ରହିଛି ରହିଥିବ
ଅମ୍ଳାନ କୀର୍ତ୍ତି
ଜୟ ହିନ୍ଦ୍ ଡାକରା
ଦେଶ ପ୍ରେମରେ
ଉଦବୁଦ୍ଧ ହୋଇବେ
ଦେଶ ଜନତା
ଶତ ସିଂହର ବଳ
ନାଶିବ ରିପୁ ବଳ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୧୮)
ଆମ ନେତାଜୀ
ନାହାଁନ୍ତି ସିନା ଆଜି
ଝୁରୁଛି ଦେଶ
ଆଜି ଅଟେ ତାଙ୍କର
ଜନ୍ମ ଦିବସ
ପାଳନ କରିବାକୁ
ହେବ ଆମକୁ
ପରାକ୍ରମ ଦିବସ
ଗଢିଥିଲେ ସେ
ଆଜାଦ ହିନ୍ଦ ଫୌଜ
ତାଙ୍କ ବୀରତ୍ବ
ଆଣିଲା ଦେଶପାଇଁ
ଏ ସ୍ୱାଧୀନତା
କ୍ରାନ୍ତି ପୁରୁଷ ତୁମେ
ସଦା ଆମ ନମସ୍ୟ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୯)
ସୁରେନ୍ଦ୍ର ସାଏ
ଉତ୍କଳ ମାତାର ସେ
ଯୋଗ୍ୟ ଦାୟାଦ
ସ୍ଵାଧିନତାର ସ୍ଵପ୍ନ
ଜୀବନ ବ୍ରତ
ଗୋରା ବନ୍ଧୁକ ଆଗେ
ପାତିଲେ ଛାତି
କାରାବରଣ କଲେ
ନିର୍ଭୀକ ସାଜି
ଦେଶ ମାତୃକା ଲାଗି
ତେଜିଲେ ପ୍ରାଣ
କାଳ କାଳକୁ ଯଶ
ରହିଲା ଜାଣ
ଜାତି ଗୌରବ ଗାଥା
କୀର୍ତ୍ତି ଅମ୍ଳାନ
ଚିର ନମସ୍ୟ ତୁମ୍ଭେ
ଘେନ ଶ୍ରଦ୍ଧା ସୁମନ ।
~ ମଧୁଛନ୍ଦା ଦାଶ, ଭୁବନେଶ୍ୱର
୨୦)
ସତ୍ୟ ପ୍ରଗତି
ପ୍ରତୀକ ସେ ଅଶୋକ
ଚକ୍ର,ଶ୍ବେତାଂଶେ
ଚବିଶ ଗୋଟି ଅର
ନେଇ ଵିରାଜେ
ପଵିତ୍ର ଶାନ୍ତି ବାର୍ତ୍ତା
ରଖେ ଧଵଳ
ତ୍ୟାଗ ବୈରାଗ୍ୟ ଭାଵ
କେଶରୀ ରଙ୍ଗେ
ହରିତ ରାଗେ ଆଶା,
ଆକାଙ୍କ୍ଷା ଦ୍ୟୁତି
ଭାରତ ଧ୍ଵଜ ର ତ
ଇଏ ସମ୍ୟକ୍
ପରିଚିତି , ତ୍ରିରଙ୍ଗା
ଦିଵ୍ୟ ସମ୍ପତ୍ତି
ଭାରତୀୟ ଯଶର,
ତ୍ୟାଗ, ପ୍ରଗତି
ଶାନ୍ତି ସମନ୍ଵୟତା
ମୂକ୍ତି ର ରମ୍ୟ ଜ୍ୟୋତି।
~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
୨୧)
ଖୋରଧା ମାଟି
ଚିପୁଡିଲେ ରକତ
ବୋହି ପଡେଟି
ପାଇକ ପୁଅ
ବକ୍ସି ଜଗବନ୍ଧୁ ଙ୍କୁ
ହରାଇ ଆଜି
ଝରୁଛି ମା ଆଖିରୁ
ରକତ ଲୁହ
କରିବା ପଣ ସର୍ବେ
ରଖିବା ମାନ
ଖୋରଧା ଗଡ ଆମ
ଶେଷ ସ୍ୱାଧୀନ ଦୁର୍ଗ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୨୨)
ତେସ୍ତରୀତମ
ଗଣତନ୍ତ୍ର ଦିବସ
ପାଳେ ଭାରତ
ଉଡୁଅଛି ତ୍ରିରଙ୍ଗା
ଜାତିର ଶୌର୍ଯ୍ୟ
ଶାନ୍ତି ମୈତ୍ରୀ ପ୍ରୀତିର
ତ୍ରିଧାର ହୋଇ
ସମ୍ବିଧାନ ଜନକ
ଆମ୍ବେଦକର
ବରପୁତ୍ର ଦେଶର
ଅସୀମ ତ୍ୟାଗ
ଦେଶକୁ ଦେଲେ ଦିଶା
ସମାଜବାଦ
ଧର୍ମ ନିରପେକ୍ଷତା
ସାର୍ବଭୌମତା
ପ୍ରଜାଙ୍କର ଶାସନ
କର୍ତ୍ତବ୍ୟ କରି
ଅଧିକାର ଭୋଗିବା
ସମୄଦ୍ଧ ରାଷ୍ଟ୍ର
ଗଠନ କରି ଦେବା
ହେଉ ଆମରି ଲକ୍ଷ୍ୟ ।
~ ବିଳାସିନୀ ଦାଶ, ମଧୁସୂଦନ ନଗର
୨୩)
କି ମାଗିବି ମୁଁ
ଠାକୁର ହେ ତୁମକୁ
ସବୁତ ଦେଲ
ବିଦ୍ୟା ବୁଦ୍ଧି ଓ ଜ୍ଞାନ
ଧନ ଓ ଜନ
ଲୋଡା ନାହିଁ ମୋହର
ଦିଅ ଆଶିଷ
ସୁଖେ ଯାଉ ଜୀବନ
ଏତିକି ନିବେଦନ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୨୪)
ସମ୍ଯକ୍ ଜ୍ଞାନ
ସତ୍ଯ ସିଦ୍ଧ ବଚନ
ମାନବ ଧର୍ମ
ସ୍ୱାର୍ଥପର ସ୍ୱଭାବ
ଅହମ୍ ଭାବ
ଅଟେ ନରକ କୀଟ
ସଂସ୍କାର ପୂର୍ଣ୍ଣ
ସାମାଜିକ ଜୀବନ
ଦୂର ଦ୍ରୁଷ୍ଟି ସଂପର୍ଣ୍ଣ ।
~ ସସ୍ମିତା ବାରିକ୍ , ବୋଲଗଡ଼
୨୫)
ଆନ୍ତରିକତା
କେଡେ ମହନୀୟତା
ସୁଫଳ ମିଳେ
ସ୍ୱପରିବାର ଚଳେ
ବନ୍ଧୁ ବାନ୍ଧବ
ସାଙ୍ଗ ସାଥୀର ମେଳେ
ନିଜ ସମାଜେ
ଆମେ ବନ୍ଧା ସମସ୍ତେ
କିଛି ନିୟମ
ନକରିବା ଲଙ୍ଘନ
ମାନବିକତା
ସୁନ୍ଦର ସମାଜରେ
ଦିଅଇ ବାର୍ତ୍ତା
ଏସବୁ ସୁଚରିତ୍ର
କର ଆୟତ
ଏହା ସର୍ବବିଦିତ
ମମତା ଡୋରେ
ସାରା ସଂସାରଚଳେ
ସ୍ନେହର ରଜ୍ଜୁ
କେବେ ଲୁହେ ନଭିଜୁ
ଶୁଣ ଗୁହାରୀ
ପ୍ରଭୁ ବରଷି ବାରି
ଚାଲୁ ସଂସାର ତରି ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୨୬)
ସାଧୁ ସଙ୍ଗତି
ଶୁଦ୍ଧ ଅନ୍ନେ ପ୍ରବୃତ୍ତି
ଶରୀର ରୂପୀ
ମନ୍ଦିର ରଖେ ସୁସ୍ଥ
ଆତ୍ମା ମଳିନ
ଆଵାସ ପ୍ରଦୂଷଣେ
ସନ୍ତୋଷ ହୀନ
ଜୀଵନ ଦୁଃଖ ଗ୍ରସ୍ତ
ଇନ୍ଦ୍ରିୟାସକ୍ତ
କାୟା ଅଇରୀ ସମ
ହିଂସ୍ର ନିଷ୍ଠୁର
ହୀନ କର୍ମ ରେ ଲିପ୍ତ
ଆତ୍ମା କଳଙ୍କେ
ଗାତ୍ର ତ ଅପବିତ୍ର
ଶରୀର ମନ
ସଂଯମ ଆଚରଣେ
କଳ୍ମଷ ମୁକ୍ତ
ଆତ୍ମା ଶୁଦ୍ଧ ପଵିତ୍ର
ଦେହୀ ସର୍ଵଦା
କଲ୍ୟାଣ ଧର୍ମେ ରତ
ଲୋଡା ଅଭ୍ୟାସ ମାତ୍ର।
~ ଆରତି ମଞ୍ଜରୀ ଦାଶ, ଗୁରୁ ଜଙ୍ଗ
୨୭)
ସତ୍ୟର ଜୟ
ଦିନେ ହେବ ନିଶ୍ଚୟ
ଏକଥା ଥୟ
ମନକୁ କର ଦୃଡ଼
ଜିଣିବ ଗଡ଼
ଭରଷା ରଖିଥାଅ
ନିଜ ଉପରେ
ଅନେକ ବାଧା ବିଘ୍ନ
ଆସିବ ଯଦି
ଈଶ୍ୱର ନିଷ୍ଟ ହେବ
ବାଧା ଦୁରେଇ ଯିବ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୨୮)
ଦାମ୍ପତ୍ୟ ସୁଖ
ଅମୃତ ଅନୁଭବ
ଦୁଇ ହୃଦର
ଅଟଳ ବିଶ୍ୱାସର
ଓଁକାର ମନ୍ତ୍ର
ଅନାବିଳ ପ୍ରେମର
ସ୍ବଚ୍ଛ ନିର୍ଝର
ସାତ ଜନମ ପାଇଁ
ବନ୍ଧୁ ହେବାର
ଆବେଗ ଅଭିଳାଷ
ସୁଖ ଦୁଃଖରେ
କାୟା ସଂଗତେ ଛାୟା
ତ୍ୟାଗ ତିତିକ୍ଷା
ସମର୍ପଣ ଭରସା
ନିଷ୍ଠ ତପସ୍ୟା
ଜଣେ ଜଣକ ଠାରୁ
ହାରିବା ଖୁସି
ଅବସନ୍ତେ ସରଜେ
ମୃଦୁ ମନ୍ଦ ମଳୟ ।
~ ବିଳାସିନୀ ଦାଶ, ମଧୁସୂଦନ ନଗର
୨୯)
ଖୋରଧା ଗଡ଼
ପଞ୍ଚ ପାଇକ ମୂର୍ତ୍ତି
ସ୍ଥାନିତ ଆଜି
ଶେଷ ସ୍ୱାଧୀନ ଦୁର୍ଗ
ସେ ଓଡ଼ିଶାର
ବୀର ପାଇକପାଇଁ
ଗର୍ବରେ ମଥା
ନଇଁ ଯାଏ ଆମର
ମା ବରୁଣେଇ ସାକ୍ଷୀ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୩୦)
ଶୀତ କି ଉଷ୍ମ
ଭୟ କି ଅନୁରାଗ
ଭାଵ ଅଭାବ
ନକରେ ବିଚଳିତ
ନିବିଷ୍ଟ ଚିତ୍ତେ
ଲିପ୍ତ ଆପଣା କାର୍ଯ୍ୟେ
ବିନା ଶଙ୍କଟେ
ଅମୃତ ଅନୁଭଵେ
ଆପଣା ଲକ୍ଷ୍ୟ ଲଭେ।
~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
୩୧)
ଆସିଛି ଶୀତ
ଥରୁଛି ଦେହ ହାତ
ଶୀତ ପୋଷାକ
କମ୍ବଳ ଓ ସ୍ଵେଟର
ମୁଣ୍ଡରେ ଟୋପି
ନିତ୍ୟାନ୍ତ ଦରକାର
ଝୁମ୍ପୁଡି ଘର
ପିଲା ଫୁଙ୍ଗୁଳା ଦେହ
ହେଂସ କୋତରା
ଶୀତେ ବଡ଼ ଆସରା
ସକାଳୁ ଉଠି
ଦାଣ୍ଡେ ନିଆଁ ଜାଳନ୍ତି
କୃଷକ ଭାଇ
ଠେଙ୍ଗା ପଗଡ଼ି ଭିଡ଼ି
କ୍ଷେତକୁ ଯାଏ
ଫସଲ ଅମଳ ଋତୁ
ଆନନ୍ଦ ମନେ
ଗୀତ ସେ ଗାଉଥାଏ
ଜନେ ଆହାର ଦିଏ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
🌻🥀🥀🥀🌻