ହାଇକୁ କବୟିତ୍ରୀ
ଚିନ୍ମୟୀ ସାହୁ
ହାଇକୁ
--0--
(୧)
କେଁ କଟର କେଁ
ସାରୁବୁଦା ମୂଳରେ
ବେଙ୍ଗୁଲୀ ଡାକେ ।
(୨)
ଟପର ଟପ
ବର୍ଷାରେ ଦର୍ଦ୍ଦୁରଟା
ଖପର ଖପ ।
(୩)
ଟିକି ଚଢ଼େଇ
ଡାଳରୁ ଡାଳେ ଉଡ଼ି
ମନ ମୋହଇ ।
(୪)
ନୀଳ ଆକାଶ
ହାତ ଠାରି ଡାକୁଛି
ପାଖକୁ ଆସ ।
(୫)
ମନ ଅଗଣା
ସଜେଇଛି କା' ପାଇଁ
ବୁଝି ପାରେନା ।
(୬)
ପ୍ରୀତିର ଫୁଲ
ସବୁଠାରୁ ସୁନ୍ଦର
ଅମୂଲ ମୂଲ ।
(୭)
କଜଳପାତୀ
ଚଞ୍ଚୁ ଟି ତା'ର କାଳେ
ତୀକ୍ଷଣ ଅତି ।
(୮)
ମନ ମଣିଷ
ପାଖେ ନାହାଁନ୍ତି ବୋଲି
ମନ ବିରସ ।
(୯)
ଦୂର ଭୂଧର
ଦୂରକୁ ହିଁ ସୁନ୍ଦର
ପାଶେ ବନ୍ଧୁର ।
(୧୦)
ଜୋଛନା ରାଣୀ
ନଭ ଅଙ୍କ ପଲଙ୍କେ
ସାଜୁ ତୁ ପୁଣି ।
(୧୧)
ନାହିଁ ମୋ ଘର
ବନ୍ୟାର ପ୍ରକୋପରେ
ଭାସେ ସଂସାର ।
(୧୨)
ପ୍ରକୃତି କୋପ
ରୋକିବାକୁ କା'ର ବା
ବଳ ଅମାପ ?
(୧୩)
ସବୁଜ ତରୁ
ନିଦାଘରେ ଶ୍ରୀହୀନ
ସତେକି ମରୁ ।
(୧୪)
ନୀରବ ନେତ୍ର
ସେ ଭାବ ବୁଝିବାକୁ
ହୁଅ ସମର୍ଥ ।
(୧୫)
ଅକୁହା କଥା
ଗୋପନ ଅନ୍ତରେ ଯା'
ଅସୀମ ବ୍ୟଥା ।
(୧୬)
ଝୁରେ ଯମୁନା
ସାଥେ କଦମ୍ବ କୁଞ୍ଜ
ଗୋପ ଲଳନା ।
(୧୭)
ହିଂସା ନ କର
ଓଲଟା ତା' ଫଳଟି
ଜାଣେ ସଂସାର ।
~ ଚିନ୍ମୟୀ ସାହୁ
ମୂଳିସିଂ,ସହର, ଜଗତସିଂହପୁର
(ଓଡ଼ିଶା)
कोई टिप्पणी नहीं:
एक टिप्पणी भेजें