~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~
~ ହାଇକୁ PROMPT ~
"ସ୍ପର୍ଶ"
୧)
ବର୍ଷାର ଛନ୍ଦ
ଭିଜା ମାଟିର ସ୍ପର୍ଶ
ଦିଏ ମହକ ।
୨)
ଶରତ ସଞ୍ଜ
କାଶତଣ୍ଡୀ ହସୁଛି
ଜହ୍ନର ସ୍ପର୍ଶ ।
୩)
ପବନ ସ୍ପର୍ଶ
ଲିଭିଯିବ ପ୍ରଦୀପ
କର ଆବଦ୍ଧ ।
୪)
ପହିଲି ଶୀତ
ସ୍ପର୍ଶରେ ପୁଲକିତ
କଅଁଳ ଫୁଲ ।
୫)
ଗୁରୁ ଆଶିଷ
ଲୁହାକୁ କରେ ସୁନା
ପରସ ସ୍ପର୍ଶ ।
~ ପ୍ରଦୀପ କୁମାର ଦାଶ
୬)
ମାଡ଼ି ଆସିଲା
ଭୟ, ତୁମର ସ୍ପର୍ଶେ
ମହାମାରୀର ।
୭)
ଜୋଛନା ସ୍ପର୍ଶେ
ବିହ୍ଵଳିତ ପୋଖରୀ
କଇଁ ହସୁଛି ।
୮)
ତୁମର ସ୍ପର୍ଶେ
ପୁନର୍ଜନ୍ମ ହେବକି
ଆଶା ରହିଛି ।
~ ରାଜେଶ କୁମାର ମୁଣ୍ଡ
୯)
ଅଦ୍ୱିତୀୟ ସେ
ମାଆ ହାତର ସ୍ପର୍ଶ
ଭାରି କୋମଳ।
୧୦)
ମୁଣ୍ଡେ ବାଜିଲେ
ବାପାଙ୍କ ହାତ ସ୍ପର୍ଶ
ହୁଅଇ ଶୁଭ।
୧୧)
ଭାଇର ସ୍ପର୍ଶେ
ତୁଟି ଯାଏ ଅକ୍ଲେଶେ
ସବୁ ବିପଦ।
~ ନିବେଦିତା ମହାପାତ୍ର
୧୨)
ନାକ ଆଖିକୁ
ଛୁଁଇଲେ ବାରମ୍ବାର
କରୋନା ଡର ।
୧୩)
ଛୁଆଁ ଅଛୁଆଁ
ଭେଦଭାବ ସମାଜେ
ରଖିବା ନାହିଁ ।
~ ଜୟରାମ ସାହୁ
୧୪)
କରନ୍ତୁ ସ୍ପର୍ଶ
ପିତା ମାତାଙ୍କ ପାଦ
ନ ଆସେ ଦୁଃଖ ।
୧୫)
ପରର ନାରୀ
ପରର ଧନ ସ୍ପର୍ଶ
ନିଜକୁ ଭାରି ।
୧୬)
ଉଠ ପ୍ରଭାତେ
କରେ ଧରା ସ୍ପର୍ଶିକି
ଯାଅ ସୁପଥେ ।
~ ମୁକ୍ତେଶ୍ଵର ପଧାନ
୧୭)
ସ୍ନେହର ସ୍ପର୍ଶ
ମନରେ ଆଣିଦିଏ
ଅନେକ ହର୍ଷ ।
୧୮)
ରାମଙ୍କ ସ୍ପର୍ଶ
ଅହଲ୍ୟା ପଥରରୁ
ହେଲେ ମଣିଷ ।
~ ସୁଧୀର କୁମାର ପଣ୍ଡା
୧୯)
ବଂଶୀ ର ସୁର
ବରଷା ର ସ୍ପର୍ଶ ରେ
ମାଟି ରେ ଗନ୍ଧ ।
୨୦)
ପ୍ରଥମ ସ୍ପର୍ଶ
ଗୀତ ରେ ପୁଲକିତ
ମନ ରେ ହର୍ଷ ।
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୨୧)
କାକର ଟୋପା
ସୂର୍ଯ୍ୟ କିରଣ ସ୍ପର୍ଶେ
ଝଲସେ ମୁକ୍ତା ।
୨୨)
କରନା ସ୍ପର୍ଶ
ଅନୂଢା କନ୍ୟା ସେ ତ
ଜ୍ୱଳନ୍ତ ବହ୍ନି ।
୨୩)
ନିତ୍ୟ ସକାଳେ
ଧରିତ୍ରୀ ମାତା ସ୍ପର୍ଶ
ଵିଭୂ ସୁମରି।
~ ବାସନ୍ତୀ ଦେଈ
୨୪)
କୁଆଁରୀ ସ୍ପର୍ଶ,
ଦେହେ ଲାଗିବା କ୍ଷଣି
ବିଦ୍ୟୁତ୍ କରଣ ।
୨୫)
ଚରଣ ସ୍ପର୍ଶ,
ପିତା-ମାତା ଆଶିଷ
ଭାରି ସରସ ।
୨୬)
ଗୋଲାପ ସ୍ପର୍ଶ
ପ୍ରେମ ଉନ୍ମାଦ ଭରେ
ହୃଦେ ଉଲ୍ଲାସ ।
୨୭)
ପ୍ରେମର ସ୍ପର୍ଶ
ଅନୁଭବ କଲେ ହିଁ
ହୃଦେ ହରଷ ।
୨୮)
ରଜନୀଗନ୍ଧା
ସ୍ପର୍ଶେ ଉନ୍ମାଦିନୀ ଯେ'
କୁଆଁରୀ କନ୍ୟା ।
~ ଶମ୍ଭୁନାଥ ଦାସ
୨୯)
ବସନ୍ତ ଆସେ
ମଳୟ ମୃଦୁ ସ୍ପର୍ଶ
ହସେ ବକୁଳ ।
୩୦)
ଭଗ୍ନ କୋଣାର୍କ
ଲୁଣି ପବନ ସ୍ପର୍ଶ
ସମୟ କ୍ରମ ।
୩୧)
ମୁକ ପାଷାଣ
ଶିଳ୍ପୀର ନିହାଣ ସ୍ପର୍ଶ
ଜୀବନ୍ତ ମୂର୍ତ୍ତି ।
୩୨)
ଉଷ୍ଣ ସକାଳ
ଉତ୍'ଫୁଲ୍ଳ କୁମୁଦିନୀ
ତପନ ସ୍ପର୍ଶ ।
୩୩)
ଆଶା ଆଲୋକ
ଝଡ଼ ଝଞ୍ଜା ଜୀବନେ
ଜୀବନ ସ୍ପର୍ଶ ।
୩୪)
ପ୍ରେମିକା ଝୁରେ
ସ୍ୱପ୍ନିଳ ବିଭାବରୀ
ପ୍ରେମିକ ସ୍ପର୍ଶ ।
୩୫)
ଛ'ଖଣ୍ଡ କାଠ
ଜୀବନର ସବାରୀ
ମୃତ୍ୟୁର ସ୍ପର୍ଶ ।
୩୬)
ମମତା ସ୍ପର୍ଶ
ଲାଭକ୍ଷତି ହିସାବ
ଦୁନିଆଁ ହସେ ।
୩୭)
ମୋକ୍ଷତ୍ୱ ପ୍ରାପ୍ତି
ଭାଗିରଥ ଚେଷ୍ଟିତ
ଗଙ୍ଗାର ସ୍ପର୍ଶ ।
୩୮)
ଦୁଃଶାସନର
ବାହୁର ଉତ୍ପାଟନ
ଦ୍ରୌପଦୀ ସ୍ପର୍ଶ ।
~ ରମାକାନ୍ତ ସତପଥି
୩୯)
ମନ୍'କେ ପାଏଲେ
ଶବ୍'ରୀ ଅଏଁଠା ଅମୃତ୍
ରାମ୍ ମାହାପୁରୁ ।
୪୦)
କରୋନା କେନ୍ତା
କେତେ ହିଂସା ଅହଁକାର୍
କାଣା ଛିଁଇବୁ ।
~ ଉତ୍ତମ ହୋତା
୪୧)
ଛିଁଲେ ଛୁଆଁଚି
ଦେଖ୍ ଚୁଇଁବୁ ମାହେପର୍
ଯେତେ କହ ହୁଁ ।
୪୨)
ମନ୍ ବୁଝେ ନାଇଁ
ସବୁଠାନେ ମାହ୍'ପୁରୁ
ରଥ ଛୁଆଁ ଫେର୍ ।
~ ଆର. ବରସାନା ନନ୍ଦିନୀ
୪୩)
ଛୁଇଁବା ମନା
କଣ ଛୁଇଁଲେ ଯାଇ
ନ ଛୁଇଁଲେ ବି ।
୪୪)
ଛୁଇଁକି ଦେଖ
ଆକାଶ ଚନ୍ଦ୍ରମାକୁ
ଜାଣିବ ସବୁ ।
~ ନନ୍ଦିନୀ ଶତପଥୀ
୪୫)
ଦରୋଟି ହସ
ଶିଶୁ କୋମଳ ସ୍ପର୍ଶ
ବାତ୍ସ୍ୟଲ୍ୟ ସ୍ନେହ ।
~ ରତ୍ନ ପ୍ରଭା ସିଂ
୪୬)
କୁମାରୀ ମନ
ସ୍ୱପ୍ନିଳ ଇନ୍ଦ୍ରଧନୁ
ତନ୍ଦ୍ରାର ସ୍ପର୍ଶ ।
୪୭)
ମୟୁରୀ ନାଚେ
ପଲ୍ଲବିତ ବନାନୀ
ମୌସୁମୀ ସ୍ପର୍ଶ ।
୪୮)
ଛିନ୍ନ କବରୀ
ସୁରହୀନ ରାଗିଣୀ
ମାଦକ ସ୍ପର୍ଶେ ।
୪୯)
ଜୀବନ ଛନ୍ଦ
ଯବନିକା ପତନ
ମରଣ ସ୍ପର୍ଶ ।
୫୦)
ମଧୁପ ଗୁଞ୍ଜେ
ପ୍ରସ୍ଫୁଟିତ ନଳିନୀ
ତପନ ସ୍ପର୍ଶେ ।
୫୧)
ତଟିନୀ ହଜେ
ପ୍ଳାବିତ ବେଳାଭୂମି
ସମୁଦ୍ର ସ୍ପର୍ଶ ।
୫୨)
ପୃଥିବୀ ହଜେ
ଦିଗ୍'ବଳୟର ସ୍ପର୍ଶ
ତମସା ତୀର ।
୫୩)
ନୂତନ ପ୍ରାଣ
ପ୍ରସବର ବେଦନା
ଭୂମିର ସ୍ପର୍ଶ ।
୫୪)
ଜାନକୀ ସ୍ପର୍ଶ
ଧୂଳିସାତ୍ ଲଙ୍କାପୁରୀ
ଖଣ୍ଡିତ ଦର୍ପ ।
୫୫)
ଯଶୋଦା କ୍ରୋଧ
ଜାମଳାର୍ଜୁନ ମୋକ୍ଷ
ଶ୍ରୀକୃଷ୍ଣ ସ୍ପର୍ଶେ ।
୫୬)
ଧଉଳି ସ୍ତୁପ
ବୁଦ୍ଧ ଚରଣ ସ୍ପର୍ଶ
ଶାନ୍ତି ପ୍ରତୀକ ।
୫୭)
ଅଶୋକ ମତ୍ତ
କାରୁବାକୀର ସ୍ପର୍ଶ
କଳିଙ୍ଗ ଯୁଦ୍ଧ ।
୫୮)
ଋଦ୍ରଙ୍କ ଜଟା
ଗଙ୍ଗା ଅବତରଣ
ଧରାର ସ୍ପର୍ଶ ।
୫୯)
ଧନୁ ଯାତରା
ରଜକର ତାରଣ
ଶ୍ରୀକୃଷ୍ଣ ସ୍ପର୍ଶ ।
୬୦)
ଭାବ ବିହ୍ଵଳ
କୁବୁଜା ସୁନ୍ଦରୀ ସେ
କହ୍ନେଇ ସ୍ପର୍ଶେ ।
୬୧)
ଶ୍ରୀକୃଷ୍ଣ ମାୟା
ଜରାସନ୍ଧ ନିର୍ଧନ
ତୁଳସୀ ସ୍ପର୍ଶ ।
୬୨)
ଶ୍ରୀକ୍ଷେତ୍ର ଧାମ
ଆରୁଣ ସ୍ତମ୍ଭ ସ୍ପର୍ଶେ
ପାପ ମୋଚନ ।
୬୩)
ରଜ ପରବ
ରଜଶ୍ୱଳା ଧରିତ୍ରୀ
ସ୍ପର୍ଶ ବାରଣ ।
୬୪)
ସୀମାନ୍ତ ଧାର
ଜାଗ୍ରତ ବୀରପୁତ୍ର
ସ୍ପର୍ଶ କାତର ।
୬୫)
ଶିବ ଆଳୟ
ଶିବ ଆଶୀଷ ଲାଭ
ବାସୁଆ ସ୍ପର୍ଶେ ।
~ ମନୀଷା ମିଶ୍ର
୬୬)
ପଣତ କାନି
ମା ର ଆଶିଷ ଛୁଆଁ
ଅଭୟ ବାଣୀ ।
୬୭)
ପ୍ରଥମ ପ୍ରେମ
ଖେଳାଏ ଶିହରଣ
ପ୍ରଥମ ସ୍ପର୍ଶେ ।
~ ରତ୍ନ ପ୍ରଭା ସିଂ
୬୮)
ସ୍ପର୍ଶ ଫଗୁଣ
ପଳାଶ ଓଠରେ ହସେ
ନାଲି ବରଣ ।
୬୯)
ସ୍ପର୍ଶ ପୁଲକ
ଶିହରଣ ଭରେ ଯେ
ହୃଦୟେ ଦକ ।
୭୦)
କାଉଁରୀ ସ୍ପର୍ଶ
ଫୁଲ ଫୁଟାଇ ଦିଏ
ମନରେ ହର୍ଷ ।
୭୧)
ସ୍ପର୍ଶ ର ଗୀତି
ପ୍ରଥମ ଛୁଆଁରେ ଗାଏ
ଫୁଲକ ପ୍ରୀତି ।
୭୨)
ବଇଁଶୀ ଗାଏ
ପ୍ରେମଭରା ସୁରେ ତା
ସ୍ପର୍ଶ ଟେ ଦିଏ ।
~ ଆଶୁତୋଷ ମେହେର
୭୩)
ପର୍ବତେ ସ୍ପର୍ଶ
କଳାହାଣ୍ଡିଆ ମେଘ
ତୁରନ୍ତ ବର୍ଷା ।
୭୪)
ପାଦ ସ୍ପର୍ଶ ରେ
ଦୁର୍ଵାଦଳ ଜୀବନ
ସ୍ଥିର ନିର୍ବାକ ।
୭୫)
ସ୍ପର୍ଶ ଚିକିତ୍ସା
ସୁସ୍ଥ ନିରୋଗ ଦେହ
ଆକ୍ୟୂପ୍ରେସର ।
~ ବାସନ୍ତୀ ଦେଈ
୭୬)
କୁଆଁରି ଜୀବନ୍
ଲାଜ୍'କୁରି ଲହ ଆଏ
ଛିଁଲେ ଛିଆଚି ।
୭୭)
ଧାଙ୍ଗ୍'ରି କୁରିଆ
ଧଙ୍ଗ୍'ରା ଛିଁଇ ଦେଲାନ
ଘିଚା କନିଆ ।
~ ମନୀଷା ମିଶ୍ର
୭୮)
ଯୋଗ ମୁଦ୍ରାରେ
ଦୁଇ ହାତର ସ୍ପର୍ଶ
ଶାନ୍ତ ହୃଦୟ ।
୭୯)
ମା'ଓଠ ସ୍ପର୍ଶ
ଆନ୍ତରିକ ମମତା
ବାତ୍ସଲ୍ୟ ଭାବ ।
୮୦)
ଦୃଶ୍ୟ ଚିତ୍ରଟି
ରଙ୍ଗ,ତୁଳୀ ସ୍ପର୍ଶ ରେ
ଅତି ଜୀବନ୍ତ ।
୮୧)
ସ୍ପର୍ଶ କାତର
ଲାଜକୁଳି ଲତାଟି
ଝାଉଁଳି ଯାଏ ।
୮୨)
ପୂଜା ମଣ୍ଡପେ
ଶିଳ୍ପୀ ହାତ ସ୍ପର୍ଶରେ
ମୁଣ୍ମୟୀ ମୂର୍ତ୍ତି ।
୮୩)
ନୂଆ ଜୀବନ
ଡାକ୍ତରଙ୍କ ହାତ ସ୍ପର୍ଶେ
ରୋଗୀଟି ପାଏ ।
୮୪)
ଭୂମି ସ୍ପର୍ଶରେ
ପୁଣ୍ଯ ମିଳେ ବହୁତ
ତୀର୍ଥ କ୍ଷେତ୍ରରେ ।
୮୫)
ଜିହ୍ବା ସ୍ପର୍ଶ ରେ
ଭୋଜନର ସ୍ବାଦଟା
ବାରି ହୁଅଇ ।
୮୬)
ଅଗ୍ନିର ସ୍ପର୍ଶେ
ଦଗ୍ଧୀଭୂତ ସାମଗ୍ରୀ
ପାଉଁଶ ସ୍ତୁପ ।
୮୭)
ଚେତନ ଧର୍ମୀ
କାବ୍ଯିକ ବିଶ୍ଳେଷଣ
ହୃଦୟସ୍ପର୍ଶୀ ।
~ ସମିତା ସ୍ବାଇଁ
୮୮)
ହାତ ସ୍ପର୍ଶରେ
ଲାଜକୁଳୀ ଲତାଟି
ସରମି ଯାଏ ।
୮୯)
ପ୍ରେମର ସ୍ପର୍ଶ
ପ୍ରେମୀ ଯୁଗଳ ମନେ
ଭରେ ଉନ୍ମାଦ ।
୯୦)
ଯୌବନ ସ୍ପର୍ଶ
କୁଆଁରୀ କନ୍ୟା ଗଣ
ପ୍ରେମ ପାଗଳୀ ।
୯୧)
କୁହୁକ ବାଡି
ଯାଦୁକର ର ସ୍ପର୍ଶେ
ଅଲୌକିକ ସେ ।
୯୨)
ଗୁରୁଜନ ଙ୍କ
ପଦ ରେଣୁ ପରଶ
ମଙ୍ଗଳ କାମୀ ।
୯୩)
ଆଶିସ ଝରେ
ଗୁରୁଙ୍କ ପାଦ ସ୍ପର୍ଶ
ଶିଷ୍ୟ ମଥାରେ ।
୯୪)
ହୃଦୟ ଛୁଆଁ
ଲତାମଞ୍ଜେସକର
ସୂର ସଙ୍ଗୀତ ।
୯୫)
ଦୂରଦର୍ଶନ
ମନ ଛୁଆଁ ସଙ୍ଗୀତ
ମୋହେ ପରାଣ ।
୯୬)
ମାଆ ପରଶେ
ଦୁଃଖ ଭୁଲିଯାଏ ମୁଁ
ସେନେହମୟୀ ।
୯୭)
ମଳୟ ସ୍ପର୍ଶ
କୋକିଳ କୁହୁତାନ
ମଧୁ ମୂର୍ଚ୍ଛନା ।
୯୮)
ଝରା ବଉଳ
ଆମ୍ର କୁଞ୍ଜେ ଭରଇ
ବସନ୍ତ ସ୍ପର୍ଶେ ।
୯୯)
ସାଧବ ବୋହୁ
କାହା ପରଶରେ ତୁ
ଲାଜେଇ ଯାଉ ।
୧୦୦)
କଇଁଛ ଜୀବ
ଖୋଳପା ଭିତରେ ସେ
ହାତର ସ୍ପର୍ଶେ ।
୧୦୧)
ଭାବପ୍ରବଣ
ସଙ୍ଗୀତ ର ମୂର୍ଚ୍ଛନା
ହୃଦୟସ୍ପର୍ଶୀ ।
୧୦୨)
ବନ୍ଦୀଶାଳାରେ
ବାସୁଦେବ ସ୍ପର୍ଶ ରେ
ଦ୍ଵାର ଉନ୍ମୁକ୍ତ ।
୧୦୩)
ଅଙ୍କୁରୋଦ୍ଗମ
ପହିଲି ବର୍ଷା ସ୍ପର୍ଶେ
ଧରା ବୁକୁରେ ।
୧୦୪)
ଥଣ୍ଡା କାଶରୁ
କରୋନା ରୋଗ ବ୍ୟାପେ
ସ୍ପର୍ଶ ଜନିତ ।
୧୦୫)
ମୌସୁମୀ ସ୍ପର୍ଶ
ବର୍ଷାର ଆଗମନ ତ
ଶୁଭଦାୟକ ।
୧୦୬)
ପହିଲି ଛୁଆଁ
କିଶୋର କିଶୋରି ସେ
ଭରେ ଉନ୍ମାଦ ।
୧୦୭)
ପିତା ମାତା ଙ୍କ
ପାଦ ପରଶେ ଶୁଭ
ଫଳଦାୟକ ।
୧୦୮)
ଲେଖନୀ ସ୍ପର୍ଶେ
ପ୍ରାଣବନ୍ତ ହୁଅଇ
ଗୀତି କବିତା ।
~ ଦମୟନ୍ତୀ ରଥ
୧୦୯)
ସିନ୍ଧୁର ସ୍ପର୍ଶ
ନଦୀ ପାଶୋରି ଯାଏ
ତା ପରିଚୟ ।
~ ଦୀପ୍ତି ମୁଣ୍ଡ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें