~ ସାରସ୍ୱତ CHOKA/ଚୋକା କାବ୍ୟ ଯାତ୍ରା ~ ୫ ~
୧)
ସ୍ୱପ୍ନ ଦୁନିଆଁ
ଘଟେ କେତେ ଘଟଣା
ଶୁଭ ଅଶୁଭ
ଭୀଷଣ ଦୁର୍ଘଟଣା
ସ୍ୱପ୍ନର ସ୍ପର୍ଶ
ଦିଏ ଖୁସି ଓ କଷ୍ଟ
ନିରୋଳା ରାତି
ହୃଦୟ କାନଭାସ୍ ରେ
ଭାବନା ଝର
ଲିପ୍ସାର ପ୍ରତିବିମ୍ବ
ଖେଳାଏ ସ୍ମିତହାସ୍ୟ ।
---0---
~ ପ୍ରଦୀପ କୁମାର ଦାଶ
୨)
ଆଜି ଦିନଠୁ
ପ୍ରତିଜ୍ଞାଟେ କରିଛି
ଶେଷ ଜୀବନ
କଟେଇବି ତୋ ବିନା
ସୁଖରେ ହେଉ
କି ଅତ୍ୟନ୍ତ ଦୁଃଖରେ
ଲାଂଛନା ତୋର
ସହି ପାରିବିନି ମୁଁ
କିଏ ଜାଣିଛି
କେଉଁ ପାଣି କୁଆଡ଼େ
ବହିବ ଧିରେ,
ଦୟନୀୟ ଯନ୍ତ୍ରଣା
ହେବ ତ ମୋତେ ?
ସହିଯିବି ସେ ସବୁ
ଫୋପାଡ଼ି ଦେବି
ନୀଳ ନୀଳ କାମନା
ସବୁଜ ଆଶା
ଶୁଷ୍କ ସରୋବରରେ
ଜଳିବ ଅଗ୍ନି
ତୃଷ୍ଣାର ତପୋବନେ
ପାଉଁଶ ହେବ
ପାଉଁଶିଆ ପ୍ରୀତିର
ହଳଦୀ ଉପବନ ।
---0---
~ ରାଜେଶ କୁମାର ମୁଣ୍ଡ
୩)
ମାପ କାଠିରେ
ଗଭୀରତାର ପ୍ରଶ୍ନ
ଛିନ୍ନ, ବିଛିନ୍ନ
କ୍ଷତ ବିକ୍ଷତ ଦେହ
ଯନ୍ତ୍ରଣା ସ୍ପର୍ଶ
ମନଟା ଭାଙ୍ଗିଯାଏ
ସମ୍ପର୍କ ରଜ୍ଜୁ
ଛିଣ୍ଡି ଅଛିଣ୍ଡା ରହେ
ରାଗ ତ ଆସେ
ଅବଦମିତ କୋହ
ଛିନ୍ନ ଯେ ତନ୍ତ୍ରୀ
ମସ୍ତିଷ୍କର କେଉଁ କୋଣେ
ବେସୁରା ରାଗିଣୀ
ଦାଵାନଳ ଚିଙ୍ଗାର
ସୁଯୋଗ ଖୋଜିବୁଲେ ।
---0---
~ ରମାକାନ୍ତ ସତପଥି
୪)
ମନରେ ସୁଖ
ମନରେ ମନ୍ଦ ଭଲ
ହାଲୁକା ମନ
ପଥର କରେ ସୋଲ
ବଂଚିବା କଳା
ଜାଣେନି ଯେଉଁ ଲୋକ
କରମ ନିନ୍ଦେ
ଅନ୍ୟକୁ କରେ ପକ୍ଷ
ଅନ୍ୟକୁ ଦେଖି
ବଞ୍ଚିବା ଯାର ଆଶା
ନିତି ମରଇ
ବଢ଼ଇ ମନେ ଇର୍ଷା
ଆଫ୍ରିକା ବାସୀ
ପାଦରେ ଦୁଃଖ ଦଳି
ନାଚ ଗୀତରେ
ହଜନ୍ତି ଭୁଲି କଳି
ଉଡାଇ ଦାଣ୍ଡ ଧୂଳି l
---0---
~ ରଞ୍ଜନ ଜେନା
୫)
ହେ ପ୍ରାଣପ୍ରିୟା
ତୁମ ଅଭୁଲା ସ୍ମୃତି
ପଡ଼ଇ ମନେ
କରଇ ଯେ ବିକଳ
କ୍ଷଣେ ଉଲ୍ଲାସ
କରେ କ୍ଷଣେ ଉନ୍ମାଦ
କେବେ କେବେ ସେ
ଅତି ଆନନ୍ଦ ଭରା
କେବେ ଅଧୀର
ବାସ୍ତବ କଥା ଏହା
କରି ଦିଏ ପାଗଳ ।
---0---
~ ଶ୍ରୀରାମ ସାହୁ
୬)
କଣ୍ଟକମୟ
ପ୍ରସ୍ଫୁଟିତ ସୁମନ
ସୁଗନ୍ଧଭରା
ବାସ୍ନାର ବିଛୁରଣ
ଶାନ୍ତ, କୋମଳ
ସ୍ଵଚ୍ଚତାର ପ୍ରତୀକ
ହୃଦୟ ଜିଣେ
ଦେବତାଙ୍କ ମଥାରେ
ସମର୍ପିତ ସେ
ବିଭିନ୍ନତା ମଧ୍ୟରେ
ସହନଶୀଳ
ମଶାଣିର ଚଟାଣ
ବିବାହ ବେଦୀ
ବାସର ରଜନୀରେ
ଶୋଭା କୃଷ୍ଣ କବରୀ ।
---0--
~ ଜିଗୀଷା ମିଶ୍ର
୭)
ଅନ୍ଧ ବିଶ୍ବାସ
ଅନ୍ଧକାର ଲାଗଇ
କେତେ ଜୀବନ
ଅକାଳେ ଝଡିଯାଏ
ଗୁଣି ଗାରେଡି
ଝଡାଫୁଙ୍କା ନୀତିରେ
ତନ୍ତ୍ର ସାଧନା
ଅଶିକ୍ଷା କୁସଂସ୍କାର
ଅସ୍ପଷ୍ଟ ସ୍ବର
କେତେଯେ ଭୟଙ୍କର
ବିଷାଦ ମୟ
ନରବଳି ଘଟଣା
ହୃଦୟଥରା
ସମାଜର ଚିତ୍ରରେ
ନିତିଦିନର
ନିନ୍ଦନୀୟ କୁକର୍ମ
ଅବିଶ୍ବାସରେ
ସନ୍ଦେହର ବଳୟ
କେତେ ମାତ୍ରାରେ
ରୋକା ଯାଇ ପାରିବ
ଜନ ସଚେତନରେ ।
---0---
~ ସମିତା ସ୍ବାଇଁ
୮)
ବିଶ୍ଵାସ ଅଛି
ଅନ୍ଧାର ରାତି ଶେଷେ
ନିଶ୍ଚେ ଆସିବ
ଆଲୋକ ର ଶିଖା ଟେ
ନୂତନ ସୂର୍ଯ୍ୟ
ଫିକ୍ କିନା ହସିବ
ଦୂରେଇ ଯିବ
ଅମା ଅନ୍ଧକାରର
ସବୁ କାଳିମା
ଆଶା ତ ଅସୁମାରି
ଦୃଢ଼ ବିଶ୍ଵାସ
କେବେ ମିଛ ହୁଏନା
ସାରା ସଂସାର
ଚାଲିଛି ବିଶ୍ୱାସ ରେ
ଅନନ୍ତ ଯୁଗ ଯାଏ ।
---0---
୯)
ଆଶା ଭରସା
ସବୁ କାଳିଆ ନାଟ
ମଣିଷ ଛାର
ତା ଭରସା ରେ ବଞ୍ଚେ
ଅଭିନୟ ରେ
ଦୁନିଆ ରଙ୍ଗମଞ୍ଚେ
ନିର୍ଦ୍ଦେଶକ ର
ଇସାରା ସର୍ବୋତ୍ତମ
ପୂର୍ଣତା ଆସେ
ଜୀବନ ଯବନିକା
ସମସ୍ତେ ଏକାକାର ।
---0---
~ ବାସନ୍ତୀ ଦେଈ
୧୦)
ଅସହାୟ ମୁଁ
ଦେବା ପାଇଁ ସେନେହ
ବନ୍ଦିନୀ ଯେ ମୁଁ
ନାହିଁ କିଛି ଆଗ୍ରହ
ନିରୁପାୟ ମୁଁ
କହିବାକୁ ବେଦନା
ମୋ ଅନ୍ତରର
ତୁମ ପ୍ରତିଦାନର
ଅନାସକ୍ତ ମୁଁ
କାମନା ବାସନା'ର
ଜର୍ଜ୍ଜରିତ ମୁଁ
ତୁମ ବଳିଦାନରେ
ଏ'କ୍ଷୁଦ୍ର ଜୀବନରେ ।
---0---
~ ପ୍ରତିମା ମେହେର
୧୧)
ଆସିଲ ନାହିଁ
କହିଥିଲ ଆସିବି
ମନରେ ଊଂକେ
ଅନେକ ପ୍ରଶ୍ନବାଚୀ
ଗୋଳେଇ ଘାଣ୍ଟି
ଟିକ୍ ଟିକ୍ ଭାବନା ହୁଏ
କେତେ ସକାଳ
ରାତ୍ରୀ ଯାଇଛି ଚାଲି
ବସନ୍ତ, ଗ୍ରୀଷ୍ମ
ପୁଣି ବସନ୍ତ, ଗ୍ରୀଷ୍ମ
ସୁଖ ଦୁଃଖରେ
ତୁମ ଆସିବା ପଥ
ଅନାଇଥିଲି
ଫେରିକି ଆସିଲନି
ସ୍ବପ୍ନରାଜ୍ୟରେ
ଚାଇଁକିନା ଭାଙ୍ଗଇ
ନିଦଟା ମୋର
ଅନାଏ ଆକାଶକୁ
ସିଲିଂ ଫେନକୁ
ଦାନ୍ତ ନେଫାଡି ହସେ
ଗେଲ୍ହେଇ ଜହ୍ନ
ତାରାଙ୍କର ମେଳରେ
ସମୀର କହେ
ଫୁଲେଇଟା କିଲୋ ତୁ
ମୁଁ ପ୍ରକୃତିସ୍ଥ
ରାତ୍ରିର ଘନଘଟା
ସକାଳ ହୁଏ
ଜୀବନଚର୍ଯ୍ୟା ଚାଲେ
ବ୍ୟସ୍ତ ମଣିଷ
ଅତୀତ ଯେ ତୁମେ
ନିରାଟ ସତ୍ୟ
ଭୁଲି ଯାଏ ତୁମକୁ
ଶୈଶବ, ଫେରିଆସ ।
---0---
~ ମନୀଷା ମିଶ୍ର
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें