~ ସାରସ୍ୱତ CHOKA/ଚୋକା କାବ୍ୟ ଯାତ୍ରା ~ ୬ ~
୧)
ଶ୍ରାବଣ ରାତି
କଳା ମେଘ ଅନ୍ଧାରି
ଜଣାଏ ମୋତେ
ତୁମ ଅନୁପସ୍ଥିତି
ମିଳନ ତୃଷା
ରିମଝିମ ବରଷା
ଲୁହର ଧାର
ହୁଏ ବଡ଼ ଅଧୀର
ନୀରବ ହୋଇ
ମନ ଯାଉଛି ଭିଜି
ମେଘ ଉହାଡ଼େ
ଲୁଚି ଯାଅ କାହିଁକି
ତୁମେ ଲାଜେଇ
ପ୍ରତିଶ୍ରୁତି ଦେଇଛ
ଫେରିବ ବୋଲି
ଆଶା ମୋ ଅସୁମାରୀ
ଆସ ଗୋ ପ୍ରିୟା
ମନ ତଳ କୁହୁଳେ
ନିଆଁ ଦିଅ ଲିଭେଇ ।
---0---
~ ପ୍ରଦୀପ କୁମାର ଦାଶ
୨)
ଦେଶର ଲାଗି
ପରାନ ଦେଲ ହସି
ବାଜି ଲଗାଲ
ଜୀବନ କେ ତମର
ତରାଟେ ହେଇ
ରହେଲ ତମେ ଯେଇ
ଆକାଶ ଥିନ
ମାହାପୁରୁଷ ନାମେ
ବୀର ପୁରୁଷ
ସୁଖ ଶାନ୍ତି ଯେ ଦେଇ
ତମର ଲାଗି
ଇ ସାରା ଭାରତଥି
ରହିଅଛନ
ନାଇନ ଡର ଭୟେ
କୋଟି ଜୁହାର
ତମର ପାହାଁ ତଲେ
ଆଝିର ଦିନେ
କାରଗିଲର ଯୁଧେ
ମନେ ପଡସି
ତମର ବୀର ଗାଥା
ତମର ବଲିଦାନ ।
---0---
~ ପ୍ରତିମା ମେହେର
୩)
ବୈଧବ୍ୟ ରୂପ
ବାଳଶ୍ରୀ ବିଧବା ସେ
ଜୀବନ ଶେଷ
ଆରମ୍ଭର ପୂର୍ବରୁ
ମୂକ, ପାଷାଣ
ପିଞ୍ଜରାବଦ୍ଧ ପକ୍ଷୀ
ଉଡିବା ମନା
ଘନଘୋର ଅନ୍ଧାର
ଅମାବାସ୍ୟାର
ସୁର୍ୟୋଦୟ ଆସେନା
କୋଠରୀବଦ୍ଧ
ଶୈଶବରେ ବାର୍ଦ୍ଧକ୍ୟ
ଅବହେଳିତ
ବୁଝିବା ଆଗରୁ ସେ
ଦୁନିଆ କଣ
ଶାସନଡୋରି ବନ୍ଧା
ଜୀବନ ତାର
ରୁଟିନ ବନ୍ଧା ଜୀବନ
ପୁରାଣ ପାଠ
ପୂଜା, ପାଦୁକାସେବା
ଚଉରା ମୂଳ
ହବିସାନ୍ନରେ ବନ୍ଧା
ତୁଳସୀ ମାଳା
ସାନ୍ୟାସିନୀର ରୂପ
ଯନ୍ତ୍ରଣାଦାୟୀ
ଅସହ୍ୟ ବେଦନାର
ଆକଣ୍ଠ ପାନ
କାମନାର ବହ୍ନିରେ
ଦଗ୍ଧ ଶରୀର
ବଂଚିବାକୁ ବାଧ୍ୟ ସେ
ଏକାଦଶୀର
ନିର୍ଜଳ ଉପବାସ
ତା 'ପାଇଁ ଧାର୍ଯ୍ୟ
ଲୋଲୁପ ଦୃଷ୍ଟି
କ୍ଷୁଧିତ ମାନବର
କଳୁଷିତତା
ଏଡାଇ ପାରେନା ସେ
ମରି ଯାଏ ସେ
ବଂଚିବାର ଆଗରୁ
ଅକାଳେ ଝରିଯାଏ ।
---0---
~ ମନୀଷା ମିଶ୍ର
୪)
ହୀରକ କୁଣ୍ଡ
ଚନ୍ଦଲି ପାହାଡର
ବନ୍ଧନଯୁକ୍ତ
ମହାନଦୀର ଜଳ
ସ୍ଥିର ଭଣ୍ଡାର
ଛତିଶଗଡ଼ ରାଜ୍ୟୁ
ପ୍ରବହମାନ
ସମ୍ବଲପୁର ଶିରୀ
ସମଲେଶ୍ୱରୀ
ଉଭା ତାହାର କୋଳେ
ପୂଜନ୍ତି ସର୍ବେ
ଶସ୍ୟ ଶ୍ୟାମଳ ଭୂଇଁ
ଜଳ ବିଦ୍ୟୁତ
ଓଡିଶା ଭାତହାଣ୍ଡି
ନାମରେ ଖ୍ୟାତ
ଶିଳ୍ପନଗରୀ ଶୋଭେ
ଜ୍ୟୋତି ବିହାର
ବିଦେଶାଗତ ପକ୍ଷୀ
ନୌକା ବିହାର
ମତ୍ସ୍ୟ ସମ୍ପଦପୂର୍ଣ୍ଣ
କୃଷ୍ଣ ହୀରକ
ଦେବ୍ରୀଗଡ଼ ବିହାର
ମନକୁ ମୋହେ
ନୀଳଜଳ ସମ୍ଭାର
ଗାନ୍ଧୀ ମିନାର
ନେହେରୁ ଉଦଘାଟିତ
ଭାରତ ଗର୍ବ
ପୃଥିବୀରେ ପ୍ରସିଦ୍ଧ
ମାଟିର ବନ୍ଧ
ନେହେରୁଙ୍କ ମିନାର
ଉପରେ ଥାଇ
ଦୃଶ୍ୟମାନ ହୁଅଇ
ଜଳ ଭଣ୍ଡାର
ଓଡ଼ିଆ ଜାତି ଗର୍ବ
ଜୀବନ ରେଖା
ଅପୂର୍ବ ରୂପଶୋଭା
ସେ ହୀରାକୁଦ ବନ୍ଧ ।
---0---
~ ରମାକାନ୍ତ ସତପଥି
୫)
ପବନ ଆଜି
ଏମିତି ବହୁଛି ଯେ
ଉଡ଼ି ଆସୁଛି
ସବୁ ସ୍ମୃତି ଏକାଠି
ମନ ଭିତରେ
ହଲଚଲ ହଉଛି
ମନେ ପଡୁଛି
ବିଗତ ଦିନ କଥା
ଯୌବନର ।
କେତେ ସୁନ୍ଦର ଥିଲା
ସେଇ ସମୟ
ଚଢ଼େଇର ଡେଣାର
ସକାଳ ସୂର୍ଯ୍ୟ
ଓହ୍ଲାଇ ଆସୁଥିଲା
ଆହୁଲା ମାରି
ଶିରି ଶିରି ପବନେ
ପ୍ରିୟା ପଣତେ
ବସନ୍ତ ଆଗମନ
ଓଃ ! କି ଆନନ୍ଦ !
ସମୟ ବଦଳିଲା
ଏବେ ବିରଳ
ଦାରୁଣ ନିଦାଘରେ
ସୂର୍ଯ୍ୟ ପ୍ରବେଶେ
ଶୁଷ୍କ ବସନ୍ତ ବାୟୁ
ଶୀତ ତ ନାହିଁ
ବାତ୍ୟାରେ ବହିଯାଏ
ତମାମ ଆଶା
ବଢ଼ିରେ ଭାସିଯାଏ
ସକଳ ସ୍ମୃତି
କାଗଜ ଡଙ୍ଗା ପରି
ଦୋହଳୁ ଅଛି
ଜୀବନ, ପ୍ରତି କ୍ଷଣେ
ନା ବର୍ତ୍ତମାନ
ସୁରକ୍ଷିତ, ଅନ୍ଧାରେ
ତ ଭବିଷ୍ୟତ,
ଦେଖାଯାଉ ଏମିତି
କେତେ ଦିନ ଚାଲିବ ?
---0---
~ ରାଜେଶ କୁମାର ମୁଣ୍ଡ
୬)
ଅନ୍ଧକାରକୁ
ଭରସା ଅଛି ଯେ ସେ
ଦିନେ ନା ଦିନେ
ପ୍ରକାଶକୁ ପରାସ୍ତ
କରି ହିଁ ଦେବ
ପ୍ରକାଶର ଭରସା
ଓ ବିଶ୍ବାସ ଯେ
ଅନ୍ଧାର ତାର ଆଦୌ
ବାଳ ବି ବଙ୍କା
କରିପାରିବବନି
କେ ଜାଣି କେତେ
ଯୁଗାନୁଯୁଗ ଧରି
ଚାଲି ରହିଛି
ଅନବରତ ଯୁଦ୍ଧ
କଣ ତୁମକୁ
ଏ କଥା ଜଣା ଅଛି
କିଏ ଜିତିଲା
ଓ କିଏ ସେ ହାରିଲା
ଯଦି ବି ନାହିଁ
ତାହେଲେ ଖୋଜା କର
ଯଦି ଜାଣିଛ
ହେଲେ ଚୁପ କିନା
ବସି ରହିବା
ନିହାତି ମହାଭୁଲ
ଆଗକୁ ବଢିଚାଲ ।
---0---
~ ଶ୍ରୀରାମ ସାହୁ
୭)
ଧୂସର ଧରା
ଶ୍ଯାମଳ ସବୁଜିମା
ଆ.. କି ସୁନ୍ଦର
ଶ୍ରାବଣ ର ଆକାଶ
ଭସା ବଉଦ
ଝରିଯାଏ ବରଷା
ହଜଇ ଜହ୍ନ
ଉଙ୍କିମାରେ ସପନ
ଦିନ ଓ ରାତି
ସମୟର ଗତିରେ
ଘୁରେ ପୃଥିବୀ
ଛୁଇଁଯାଏ ପବନ
ମନ ପ୍ରାଣକୁ
ଆକ୍ତାମାକ୍ତା ଜୀବନ
କିଏ ଗଢିଛି
ଏ ବିଶ୍ବ ବ୍ରହ୍ମାଣ୍ଡକୁ
ଭିନ୍ନ ରୂପରେ
ସଜେଇ ଦେଇଛି ସେ
ଫୁଲ ଫଳରେ
ସମୀର ବହିଯାଏ
କାହା ଇଛାରେ
ନଦୀ ବି ବହେ
ଅଙ୍କାବଙ୍କା ଧାରରେ
ଫୁଲରେ ବାସ
ଭିନ୍ନ ସ୍ବାଦର ଫଳ
ତୃଣରୁ ତରୁ
ଅବନୀ ର ବନାନୀ
ଚିର ସବୁଜ
ମନରେ ଅନୁରାଗ
ପ୍ରାଣୀକୁ ପ୍ରାଣ
ହୃଦୟ ରେ ମମତା
ଜ୍ଞାନ ବିଜ୍ଞାନ
କଳ୍ପନା ରେ ଭାବନା
ଧର୍ମ ଅଧର୍ମ
ଭାବାତ୍ମକ ସଂପର୍କ
ଚିତ୍ର ଚରିତ୍ର
ଦୁଃଖ ଓ ଯନ୍ତ୍ରଣା ର
କରୁଣ ଦୃଶ୍ୟ
ନିଆରା ପଣନେଇ
ଆଙ୍କିଦେଇଛି
କମନୀୟ ସୃଷ୍ଟିକୁ
ଲହରୀ ଖେଳେ
ସାଗର କୂଳ ଛୁଇଁ
ସିକ୍ତ ବାଲିରେ
ସ୍ମୁତି ସବୁ ସାଉଁଟେ
ପାଦ ଚିହ୍ନ ରେ
ଘନ ନୀଳ ରଙ୍ଗରେ
ରଙ୍ଗେଇ ଦିଏ
ଦୂରରୁ ଆକାଶକୁ
ଅପୂର୍ବ ଦୃଶ୍ୟ
ମନକୁ ମୁଗ୍ଧକରେ
ବିଚିତ୍ର ବର୍ଣ୍ଣା
ଶ୍ରେଷ୍ଠ ଯାଦୁକରଙ୍କ
ପ୍ରଣିପାତ ସୃଷ୍ଟିକୁ ।
---0---
~ ସମିତା ସ୍ବାଇଁ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें