~ ସାରସ୍ୱତ CHOKA/ଚୋକା କାବ୍ୟ ଯାତ୍ରା ~ ୮ ~
ଚୋକା
୧)
ମା' ନିର୍ଝରିଣୀ
ମନ ତାର ପବିତ୍ର
କେତେ ନିର୍ମଳ
ମା' ଅକ୍ଷର ଗୋଟିଏ
ହେଲେ ମହତ୍ତ୍ଵ
ଅଟେ ଅବର୍ଣ୍ଣନୀୟ
ସ୍ନେହ ସାଗର
ମାଆ କୋଳରୁ ମିଳେ
ଅସୀମ ସୁଖ
ପୃଥିବୀ ପରି ମାଆ
ସହନଶୀଳ
ମାଆ ସଦା ପୂଜିତ
ଅଟେ ଜୀବନ
ତାର ମମତ୍ୱ ଋଣ
କିଏ ସୁଝି ପାରିବ ।
---0---
~ ପ୍ରଦୀପ କୁମାର ଦାଶ
୨)
ଅଜଣା ଲକ୍ଷ୍ୟ
ଅବିରାମ ଚାଲିଛି
ଅଗମ୍ୟ ରାସ୍ତା
ସରିବା ନାଁ ନଉନି
ଏମିତି ଆଉ
କେତେ ଦିନ ଚାଲିବ
ଅସଂଖ୍ୟ ଢେଉ
ଉତ୍ତାଳ ସମୁଦ୍ରରେ
କୂଳ ପାଉନି
ତଥାପି ତ ଚାଲିଛି
ମୋତି ଖୋଜିବା
ଲୋଭଗ୍ରସ୍ତ ଜୀବନ
ମୃତ୍ୟୁ ନିକଟ
ତେବେ ବି ସବୁ ଜାଣି
ମୋହ ମରୁନି
ମଣିଷତ୍ୱ ହଜିଛି
ଅମାନବିୟତାରେ ।
---0---
~ ରାଜେଶ କୁମାର ମୁଣ୍ଡ
୩)
କରୋନା ମାଡ
ବୁଭୁକ୍ଷା ନଗ୍ନ ଚିତ୍ର
ଶିଳ୍ପ ନଗରୀ
ରାଉରକେଲା ଦୃଶ୍ୟ
ପିଲା ବିକ୍ରିର
ଅଭାବର ତାଡନା
ଆଖି ସଜଳ
ମମତାର ବେପାର
ପେଟ ଖଣ୍ଡକ
ବଂଚିବାରେ ବାଧକ
ମଣିଷ ବିକ୍ରି
ପଚାଶ ହଜାରରେ
ଝିଅର ଦାମ
ପୁଅ ଅଢେଇ ଲକ୍ଷ
ସମାଜ ସେବା
ମଣିଷର ବେପାର
ବାଃ ସରକାର!
ଯୋଜନାରେ ଆବଦ୍ଧ
ବିକଟ ରୂପ
ସମାଜ ବ୍ୟବସ୍ଥାର
ବାଃ ବାଃ ନେବାରେ ବ୍ୟସ୍ତ ।
---0---
~ ରମାକାନ୍ତ ସତପଥି
୪)
ସଜଳ ନେତ୍ର
ବୁକୁଫଟା ଚିତ୍କାର
ମନ ମାନେନା
ଦଶମାସ ଗର୍ଭରେ
କେତେ ଯନ୍ତ୍ରଣା
ଭାରାକ୍ରାନ୍ତ ଶରୀର
ଋତୁଚକ୍ରର
ଅସୀମ ଦୁଃଖଗାଥା
ଶିଶୁର ଜନ୍ମ
ଆନନ୍ଦାଶ୍ରୁ ଝରାଏ
ଛୋଟରୁ ବଡ
ନିଜେ ଅଖିଆ ରହି
ମଣିଷକରେ
ଅଳି, ଅର୍ଦଳୀ ସହେ
ସ୍ୱପ୍ନର ରାଜ୍ୟ
ବାସ୍ତବିକତାର ରୂପ
ସ୍ନେହରେ ସିଞ୍ଚା
ବୃକ୍ଷଟା ଛିଡା ହୁଏ
ବିଦେଶ ଯାଏ
ନିର୍ନିମେଷ ନୟନେ
ଅନାଇଛି ସେ
ଫେରନ୍ତା ପଥଟାକୁ
ବୟସ ଛାପ
ସୁସ୍ପଷ୍ଟ ବାର୍ଦ୍ଧକ୍ୟର
ସୁପ୍ତ ଇନ୍ଦ୍ରିୟ
ଗଣ୍ଡେ ଖାଇଲେ ହେଲା
ସ୍ବପ୍ନ ହଜିଛି
ପୁଅ କର୍ମରେ ବ୍ୟସ୍ତ
ପରିବାରକୁ ନେଇ ।
---0---
~ ମନୀଷା ମିଶ୍ର
୫)
ଏଇ ଦୁନିଆ
ଗୋଟାଏ ରଙ୍ଗମଞ୍ଚ
ଆମେ ସମସ୍ତେ
ଭିନ୍ନ ଅଭିନ୍ନ ପାତ୍ର
ସ୍ୱ ଭୂମିକାରେ
ଅଭିନୟ କରୁଛେ
ପ୍ରତି ମୁହୂର୍ତ୍ତେ
ଯାହାର ଏକମାତ୍ର
ଦର୍ଶକ ସିଏ
ଦେଖୁଅଛି ପ୍ରତ୍ୟକ୍ଷ
ନିର୍ଲେପ ଭାବେ
ରଖି ସବୁ ହିସାବ
ଉପରେ ବସି
ନେତ୍ର ବୁଜି ସତତ
ଦିଏ ମୁରୁକି ହସ ।
---0---
~ ଶ୍ରୀରାମ ସାହୁ
୬)
ଆଦ୍ଯ ଆଷାଢ
ବିନ୍ଦୁ ବିନ୍ଦୁ ବର୍ଷାରେ
ଭିଜୁଛି ମାଟି
ମହମହ ବାସ୍ନାରେ
ବିଭୋର ଚାଷୀ
ଓଦା ମାଟିକୁ ଛୁଇଁ
ଦେଖେ ସପନ
ପାଗ ବି ଅନୁକୂଳ
ଖାଲି ଦିମୁଠା
ବିହନ ବୁଣିଦେଲେ
ମଗୁଶୁରରେ
ଫସଲ ଉତୁରିବ
କାଟିବ ଧାନ
କର୍ମରେ ବନ୍ଧା ଜୀବନ
ଖଟା ମିଠାରେ
କିନ୍ତୁ ସ୍ବାଦଟା ତାର
ନିହାତି ଭିନ୍ନ
ଏଇ ଯେମିତି
ଧନ ,ମାନ ,ସମ୍ମାନ
ରୁହେନି ସବୁଦିନ ।
---0---
~ ସମିତା ସ୍ବାଇଁ
୭)
ତୁମେ ସାଗର
ନିତି ନିତି ପରଖେ
ତରଙ୍ଗମାଳ
ତୁମେ ରୁଦ୍ର ଆହ୍ୱାନ
ଭବିଷ୍ୟତର
ପୁଣି ବର୍ତ୍ତମାନର
ତୁମେ ନିଶ୍ଚିତ
ସୁରକ୍ଷିତ କବଚ଼
ଏ'ହୃଦୟର
ନିରୀମାଖି ମନର
ତୁମେ ପ୍ରଣୟ
ମାନୀନି ପ୍ରେମିକା'ର
ତୁମେ ଶ୍ରାବଣ
ବିରହିଣୀ ଲୁହର
ତୁମେ ଚନ୍ଦ୍ରମା
ଏ'ମନ ଆକାଶର
ମୁଁ ଏକାକିନୀ
ନିର୍ଜନ ବେଳାଭୂଇଁ
ରହେ ଦୂରରୁ ଚାହିଁ ।
---0---
~ ପ୍ରତିମା ମେହେର
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें